ଗୋଟିଏ ରାଜ୍ୟରେ ଜଣେ ବିଦ୍ୱାନ୍ ଧାର୍ମିକ ରାଜା ଥିଲେ । ପ୍ରଜାମାନଙ୍କୁ ପୁତ୍ରପରି ପାଳନ କରୁଥିଲେ । ତାଙ୍କ ରାଜ୍ୟରେ ସମସ୍ତେ ସୁଖରେ କାଳାତିପାତ କରୁଥିଲେ । ତାଙ୍କ ଦରବାରରେ ଚତୁର ଏଵଂ ଅଭିଜ୍ଞ ମନ୍ତ୍ରୀ ପାରିଷଦ ରହୁଥିଲେ । ମନ୍ତ୍ରୀ ମଧ୍ଯ ଜଣେ ବିଜ୍ଞ ଓ ବଡ଼ ବିଚାରବନ୍ତ ଥିଲେ । ପ୍ରତ୍ୟେକ କ୍ଷେତ୍ରରେ ରାଜା ସମସ୍ତଙ୍କ ପରାମର୍ଶ ନେ଼ଇ ରାଜ୍ୟ ପରିଚାଳନା କରୁଥିଲେ । ରାଜା କିନ୍ତୁ ଖୁବ୍ ପ୍ରକୃତିପ୍ରେମୀ ଥିଲେ । ପଶୁ ପକ୍ଷୀ ଓ ବୃକ୍ଷଲତାକୁ ଭାରି ଭଲ ପାଉଥିଲେ । ଅଧିକନ୍ତୁ ତାଙ୍କର ପଶୁପକ୍ଷୀ ଓ ବୃକ୍ଷଲତା ସଉକ ବହୁତ୍ ଅଧିକ ଥିଲା । ତେଣୁ ରାଜା ରାଜ୍ୟରେ ପଶୁପକ୍ଷୀ ଓ ଜଙ୍ଗଲ ସୁରକ୍ଷା ପାଇଁ କଡ଼ାକଡି ଆଇନ୍ ଲାଗୁ କରିବା ସହିତ ଦଣ୍ଡର ବ୍ୟବସ୍ଥା ମଧ୍ଯ କରିଥିଲେ । ସେହି ଜଙ୍ଗଲରେ ହସ୍ତୀ ,ବ୍ୟାଘ୍ର, ଭଲ୍ଳୁକ, ବରାହ, ହରିଣ, କୁଟ୍ରା, ସମ୍ବର, ଠେକୁଆ, ନକୁଳ, ଶୃଗାଳ ଏବଂ ନାନା ଜାତିର ପକ୍ଷୀ ଅତି ଆନନ୍ଦରେ ବିଚରଣ କରୁଥିଲେ।ତତ୍ ସଙ୍ଗେ ବୃକ୍ଷ ରୋପଣ କାର୍ଯ୍ୟ ମଧ୍ଯ ରାଜା କରାଉଥିଲେ । ତେଣୁ ସେହି ରାଜ୍ୟଟି ସୁନ୍ଦର୍ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଥିଲା ।
ରାଜ୍ୟରେ ତ ସବୁ ପ୍ରକାର ଓ ପ୍ରକୃତିର ଲୋକ ଅଛନ୍ତି । ଥରେ ରାଜ୍ୟର ଦୁଇଜଣ ଦୁର୍ବୃତ୍ତ ଶିକାରୀ ରାତିରେ ଲୁଚିଛପି ରାଜାଙ୍କ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହରିଣକୁ ଶିକାର କରିବା ପାଇଁ ତୀର ଚଳାଇଲେ । ତୀରଟା ହରିଣର ପଛପାଖରେ ବିଦ୍ଧ ହେଲା ।ହରିଣର ଆର୍ତ୍ତ ଚିତ୍କାର ଶୁଣି ବନ କର୍ମଚାରୀମାନେ କାଳ ବିଳମ୍ବ ନକରି ଚିତ୍କାର ଶୁଭୁଥିବା ସ୍ଥାନକୁ ଠଉରେଇ ତୁରନ୍ତ ସେଠାରେ ପହଞ୍ଚିଗଲେ । ଶିକାରୀ ଦୁହେଁ ଏମାନଙ୍କୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରି ବିଫଳ ହେଇ ଧରା ପଡିଲେ । ଆହତ ହରିଣଟିକୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଗଲା । ଏ ଘଟଣାଟି ଦୃତ ବେଗରେ ରାଜାଙ୍କ ପାଖରେ ପହଁଚିଗଲା । ରାଜା ମନ୍ତ୍ରୀ ତଥା ପାରିଷଦ ମାନଙ୍କୁ ଡକାଇ ରାଜସଭା ବସାଇଲେ । ଶିକାରୀ ଦୁହିଁଙ୍କୁ ରାଜାଙ୍କ ସମ୍ମୁଖରେ ହାତକଡି ପକାଇ ହାଜର କରାଗଲା । ସେମାନଙ୍କର ବିଚାର ଚାଲିଲା । ପାରିଷଦଙ୍କ ମଧ୍ୟରୁ କେହି କହିଲେ ଶିକାରୀ ଦୁହିଁଙ୍କୁ ଜେଲ୍ ଦଣ୍ଡ ଦିଆଯାଉ । କେହି କହିଲେ ଆଜୀବନ ସଜା ଦିଆଯାଉ । ଆଉ କେହି କହିଲେ ଦୋଷ ଅନୁରୂପେ ଦଣ୍ଡ ବ୍ୟବସ୍ଥା ହେଉ । ମନ୍ତ୍ରୀ କହିଲେ ନିରୀହ ଜୀବର ପ୍ରାଣ ନେଉଥିବା ଲୋକକୁ ପ୍ରାଣଦଣ୍ଡ ଦିଆଯାଉ । ତତ୍ପରେ ରାଜା କହିଲେ, ଏ ଦୁହିଁଙ୍କୁ କାଟି ଟିକ୍ ଟିକ୍ କରି ଜଙ୍ଗଲର ବ୍ୟାଘ୍ର ଭଲ୍ଳୁକଙ୍କୁ ଖାଇବାକୁ ଦିଆଯାଉ । ଏ କଥା ଶୁଣି ଶିକାରୀ ଦୁହେଁ ରାଜାଙ୍କ ପାଦତଳେ ପଡିଯାଇ ଦୋଷ ସ୍ଵୀକାର ପୂର୍ବକ କ୍ଷମା ପ୍ରାର୍ଥନା କଲେ । ରାଜା କହିଲେ ନିଜର ପ୍ରାଣରକ୍ଷା ପାଇଁ ତୁମେମାନେ କ୍ଷମା ଯାଚନା କରୁଛ ।
ଅଥଚ ଅନ୍ୟର ପ୍ରାଣ ନେବାକୁ ତତ୍ପର ହେଉଛ କିପରି ? ତୁମର ପ୍ରାଣ ତୁମ ପାଇଁ ଯେପରି ପ୍ରିୟ ଅନ୍ୟର ପ୍ରାଣ ତା’ ପାଇଁ ମଧ୍ୟ ସେପରି ପ୍ରିୟ । ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ଜୀବନ ଦେଇପାରୁ ନଥିବା ଲୋକକୁ ଜୀବନ ନେଇପାରିବା ଅଧିକାର ଦେଲା କିଏ ? ତା’ ଛଡ଼ା ମାଂସ ମଣିଷର ଖାଦ୍ୟ ନୁହେଁ । ଏହା ଅସୁର ପଶୁପକ୍ଷୀଙ୍କ ଖାଦ୍ୟ । ତୁମେ ଯଦି ଅନ୍ୟକୁ ମାରି ଖାଇବ ତୁମକୁ ମାରି ପଶୁ ପକ୍ଷୀଙ୍କୁ ଦିଆ ନଯିବ କାହିଁକି ? ଶିକାରୀ ଦୁହେଁ ଏ କଥା ହୃଦୟଙ୍ଗମ କଲେ ଏବଂ ଆଉ କେବେ ମାଂସ ଭକ୍ଷଣ ନକରିବାକୁ ରାଜାଙ୍କ ନିକଟରେ ଶପଥ କଲେ । ରାଜା କହିଲେ ହରିଣଟି କେବଳ ଆହତ ହୋଇଥିବାରୁ ତୁମ ଦୁହିଁଙ୍କୁ କ୍ଷମା କରି ଦିଆଗଲା । ନଚେତ୍ ତୁମେମାନେ କ୍ଷମା ପାଇପାରି ନ ଥାନ୍ତ । ତୁମର ଅନୁତାପ ତୁମକୁ କ୍ଷମା ଦେବ । ରାଜାଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କଲେ ।