ଆଜି କାଲି ମୃତ୍ୟୁଟା ବି ଉତ୍ସବ ପାଲଟିଛି, ଯେବେଠୁଁ ମଶାଣୀଟା “ଆଦର୍ଶ ମଶାଣୀ” ବୋଲି ଘୋଷିତ ହେଇଛି….!
ଶାନ୍ତି ରେ ଚିରନିଦ୍ରାରେ କୋକେଇରେ ଶୋଇଥିବା ମଣିଷର ଆତ୍ମା ବିଳି ବିଳେଇ ଦରାଣ୍ଡି ହେଉଛି; ଆରେ ଏବେ କଣ ଏଠି ଚା, ଜଳଖିଆ, ସିଗାରେଟ ଆଉ ପାନ ବି ମିଳୁଛି….!!
ଢେର ଦିନ ତଳେ ବାପାଙ୍କୁ ସତ୍କାର ପାଇଁ ଆଣିଥିଲି; ଖାଲି କାନ୍ଦୁରା ମୁହଁରେ ଲୁହକୁ ଜାକି ମୁଖାଗ୍ନି ଦେଇଥିଲି ….!!!
ଏବେଏଠି ଭଲ ଲୋକ ଭିଡ ଧରିଛି; ପୁଅ ପୁତୁରାଏ ଶବ ସାଙ୍ଗେ ସେଲଫି ମାରି ଚାଲିଛନ୍ତି…!!!
ଏବେ ତ ଏଠି ମନୋରଞ୍ଜନ ପାଇଁ ପାର୍କ ଟିଏ ବି ଵନିଚି; ଜଳ ଫୁଆରା ସାଙ୍ଗକୁ ରାତିରେ ଉଜ୍ଜ୍ବଳ ଆଲୁଅ ବି ଜଳୁଛି; ପୁରା ଦିନ କରି ଦଉଚି; ସେଦିନର ମଶାଣୀ ପରି ଆଉ ଅନ୍ଧାର ମାଡ଼ି ବସୁ ନାହିଁ ….!!!
ଚାଟ, ଗୁପଚୁପ ସାଙ୍ଗକୁ ଦହିବରା ଆଳୁଦମର ପସରା ବି ମେଲିଛି; ଭୁତ, ପ୍ରେତ ଏ ସବୁ ଦେଖି ଲୁଚିଲେଣି; ଆଉ ଡର କାହିଁକି ବା ଲାଗିବ ? ଥାନେ, ଥାନେ ମଶାଣୀ ବି ସ୍ୱାଗତ ଜଣାଉଛି…!!!
ମାଲବାହୀ ଭାଇ ଟି କହେ ମଶାଣୀଟା ସତରେ ଭାରି ବଢିଆ ହେଇଛି; ଏତେ ସବୁ ଯୋଗାଡ଼ ଦେଖି ଲୋକଙ୍କୁ ମରିବାକୁ ଆଉ ଡର ଲାଗୁନି…!!!
ଯାହା କହ ମୃତ୍ୟୁଟା ଉତ୍ସବ ପାଲଟିଛି; ଏକାଦଶାହ ଭୋଜି ପାଇଁ ସୁନ୍ଦୂରିଆ କାର୍ଡ ଛପୁଛି; ମହାପ୍ରସାଦ ପରିବର୍ତ୍ତେ ପକୋଡାଠୁଁ ବିରିୟାନୀର ଧୂଳା ଉଡ଼ୁଛି; ମେଲୋଡି ସାଙ୍ଗକୁ ପୁଣି ଭଲ ଖାଇବା ପିଇବା … ସତରେ ଭୋଜିଟା ବେଶ ଜମୁଛି ….!!!
ପଚାରିଲେ ଉତ୍ତର ମିଳୁଚି, ଏଡ଼େ ବଡ ଦୁଃଖଟାକୁ ଭୁଲିବା ପାଇଁକି ଟିକେ ହାଲକେଇକି ନେଇଛି ….!!!
ଏଣେ ଶ୍ରଦ୍ଧାଞ୍ଜଳି ଦେଇ ଦିନେ ମୁହଁ ନ ଦେଖିଥିବା ଶ୍ରଦ୍ଧାଳୁଙ୍କ ବେଶ ଫଟୋ ଉଠା ସେଶନ ଚାଲିଛି…!!!
ତେଣେ ବିଚାର ହୁତାତ୍ମାଟି ଫୁଲ ମାଳ ଘେରା ଫଟ ଭିତରେ ରହି ଭାବୁଛି … ଯାହା ହେଉ ବଞ୍ଚିବା ଠାରୁ ମରିବା ଟା ମନୋରମ ଲାଗୁଚି; ଦଶ-ବାର ଦିନ ହେଲାଣି, ମୋ ପାଇଁ ଯାତେରା ଜମୁଛି ….!!
ଜିଇ ଥିଲା ବେଳେ ମିଳୁ ନ ଥିଲା ମୁନ୍ଦେ ପାଣି; ଏବେ କିନ୍ତୁ ଥଣ୍ଡା ପାନୀୟ ସାଙ୍ଗକୁ ବିଅରରେ ମୋ ଘର ଅଗଣା ଭାସୁଛି ….!!!
ପୁଅ ପରା ମୋ ଫୋଟୋଟେ ମୋବାଇଲରେ ଛାଡ଼ିଛି; ଜ୍ଞାତି, ଅଜ୍ଞାତି କେତେ ଚିହ୍ନା ଅଚିହ୍ନା ସେ ଫଟୋରେ ଲାଇକ ମାରି ଓଁ ଶାନ୍ତି ଲେଖିଛନ୍ତି …..!!!
ପରିବାରଟା ପୁରା ମୋର ମରିବାକୁ ଜମେଇକି ପାଳିଛନ୍ତି; ନେତାଠୁଁ କର୍ମି ପର୍ଯ୍ୟନ୍ତ ସଭିଙ୍କୁ ନିମନ୍ତ୍ରଣ କରିଛନ୍ତି …..!!!
ସତରେ ଯେବେଠୁଁ ମଶାଣୀଟା ଆଦର୍ଶ ହେଇଛି, ମୃତ୍ୟୁଟା ବି ତାଳ ଦେଇ ଉତ୍ସବ ପାଲଟି ଯାଇଛି….!!!