ଜନକ ଜନନୀ ଠାରୁ ବଡ଼ ଆଉ
କେହି ନାହିଁ ଏ ତିନି ଭୁବନେ
ଜନମ ଦେଇ ଯେ ଆଣିଲା ସଂସାରେ
ଦୁଃଖ ନ ଦିଅରେ ତାଙ୍କ ମନେ
ଦିନ ରାତି ତୋତେ ତୋହରି ମାଆରେ
କୋଳ ଝୁଲଣାରେ ଝୁଲାଇଲା
ନିଜେ ନ ଶୋଇରେ ତାହାରି କୋଳରେ
ଗୀତ ଗାଇ ତୋତେ ଶୁଆଇଲା
ଦୁଃଖ ଦେବା ପାଇଁ କିଆଁ କର ମନ
ନିତି ସେବା କର ସେହି ଚରଣେ
ଜନମ ଦେଇ ଯେ ଆଣିଲା ସଂସାରେ
ଦୁଃଖ ନ ଦିଅ ରେ ତାଙ୍କରି ମନେ।।
ଜପ ତପ ପୁଜା ତୀର୍ଥ ବ୍ରତ ଛାଡି
ସେବା କର ପିତା ମାତା ପୟର
ପିତା ମାତା ପରା ଦେବତା ଠୁ ବଡ଼
କି ହେବ ଗଲେରେ ଦେବ ମନ୍ଦିର
ପାଇ ବୁନି ପୂଣ୍ୟ ମିଳେନି ଆଶିଷ
ପୂଜିଲେ ଷାଠିଏ କୋଟି ଦେବ
ଜନମ ମରଣୁ ମୁକତି ପାଇବୁ
ହୃଦୟରେ ଯଦି ଭକତି ଥିବ
ହାତ ଧରି ଯିଏ ଦେଖାଇଲା ତୋତେ
ସାଧୁ ସନ୍ଥ ଗୁରୁ ଭଗଵାନ
ତାଙ୍କରି ପରଶେ ତାଙ୍କରି ଆଶିଷେ
ପାଇବୁ ସିନାରେ ଦିବ୍ୟ ଜ୍ଞାନ।।
ମହା ଆଡ଼ମ୍ବରେ ପାଷାଣ ମନ୍ଦିରେ
ଦାରୁକୁ ଦେବତା ଭାବି ପୂଜୁ
ପିତା ମାତା ଛାଡି ମଠ ମନ୍ଦିରରେ
କେମିତି ଦେବତା ଯାଇ ଖୋଜୁ
ପିତା ମାତା ମନେ ଦୁଃଖ ଦେଇ ତୁହି
ପୂଜିଲେ କି ହେବ ଭଗଵାନ
କୋଟି ଦାନ କଲେ ପୂଣ୍ୟ ନ ମିଳିବ
ଭୋକିଲା ପେଟରେ ଗଲେ ଦିନ
ଜନକ ଜନନୀ ଠାରୁ ବଡ ଆଉ
କେହି ନାହିଁ ଏ ତିନି ଭୁବନ
ପ୍ରଫୁଲ୍ଲ ପାଣିଗ୍ରାହୀ