ହାଇଟେକ ବୃଦ୍ଧାଶ୍ରମ  

ହାଇଟେକ ବୃଦ୍ଧାଶ୍ରମ  


 ବାଥ ରୁମ ସଫା ହେଇନି ଅନେକ ଦିନରୁ।  ଶିଉଳି ଉପରେ ଗୋଡ ଖସୁ ଖସୁ ସତ୍ୟଜିତ ବାବୁ ନିଜକୁ ନିୟନ୍ତ୍ରଣ କରିନେଲେ। ବାଲକୋନୀକୁ ଆସି ବସିଲେ ସେ। କଦଳୀ ପତ୍ର ପରି  ଥରୁଥିଲା ତାଙ୍କ ଦେହଟା। ଟ୍ରିପ୍ଲେକ୍ସ ଘର, ଲିଫ୍ଟ ବି ଲାଗିଛି। ଉପରେ ଏକା ରହନ୍ତି ସତ୍ୟଜିତ ବାବୁ। ତଳ ଦୁଇଟା ମହଲା ଭୁତ-କୋଠୀ ପରି ଖାଲି ପଡିଛି। କ’ଣ ବା ଅଭାବ ଯେ ଘର ଭଡାରେ ଲଗେଇବେ।

ସ୍ତ୍ରୀ ଯିବା ପରେ ଆଉ ଭଲ ଲାଗୁନି। ନିଃସଙ୍ଗତାର ପରିଭାଷା ହିଁ ଅଲଗା। ଅବଶିଷ୍ଟ ଜୀବନକୁ ଏକା ଏକା କାଟିବା ଗୋଟାଏ ଅଭିଶାପର ଏହା ବେଶ୍ ବୁଝି ସାରିଲେଣି ସତ୍ୟଜିତ ବାବୁ।

କଲେକ୍ଟର ଥିଲେ ସେ। ଏଇ ଘରଟି ବନେଇ ଥିଲେ ସତ୍ୟଜିତ ବାବୁ ଯୁବାବସ୍ଥାରେ,ବିବାହ ପୂର୍ବରୁ। ଘର ତୋଳିବା ଆଗରୁ ଅନେକ କଥା ଭାବିଥିଲେ। ପୁଅ ଝିଅଙ୍କ ସାଥିରେ ସୁଖର  ସଂସାର ସେ ଗଢିବେ ଏଇ ଘର ଭିତରେ କିନ୍ତୁ ହେଲା କ’ଣ!! ପିଲାଏ ପାଠ ପଢ଼ି ବିଦେଶରେ ରହିଲେ। ସେଠାକାର ନାଗରିକତା  ନେଇଗଲେ । ସ୍ତ୍ରୀ ପ୍ରତିଭାଙ୍କ  ହାତ ଛାଡି ଆରପାରିକୁ ଚାଲିଗଲେ ଅଚାନକ। ନିଜେ କିଛି ଦିନ ପିଲାଙ୍କ ପାଖରେ ରହିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଜଳବାୟୁ ତାଙ୍କୁ ଅନୁକୂଳ ହେଲାନି। ନିଜ ଘରକୁ ଫେରି ଆସିଲେ। ଚାକରଟିଏ ଆସି ତାଙ୍କ କଥା ବୁଝି ଯାଏ। ଏତେ ବଡ ଘର, ଏତେ ସମ୍ପତ୍ତି ଏ ସବୁ ହେବ କ’ଣ!  ଅନାବଶ୍ୟକ ଲାଗେ ହାତ ମୁଠାରେ ଥିବା ସମ୍ପତ୍ତି ସବୁ….।
ବାଥରୁମରେ ଏବେ ପଡ଼ିଯାଇଥିଲେ,କ’ଣ ହେଇଥାନ୍ତା କେଜାଣି। ପଡିଗଲେ ମୃତ୍ୟୁ ସୁନିଶ୍ଚିତ,ତାଙ୍କ ଦେହଟା ପୁଣି ଥରେ ଶିହରି ଉଠିଲା। ପଡି ଯାଇ ହାତ ଗୋଡ ଭାଙ୍ଗି ଯାଇଥିଲେ,ଆହୁରି କଷ୍ଟ ହେଇଥାନ୍ତା। ନା ବୁଝା ଶୁଝା କରିବା ପାଇଁ ପ୍ରତିଭା ଅଛନ୍ତି ପାଖରେ, ନା ପାଖରେ ପୁଅ-ଝିଅ ଅଛନ୍ତି ଯିଏ  ଖବର ପାଇ ଦଉଡି ଆସନ୍ତେ !!! ଭଙ୍ଗା,ପରିତ୍ୟକ୍ତ ପାଚେରୀ ଉପରେ ଦୁଇଟି ଗୁଣ୍ଡୁଚି ମୂଷାର ଖେଳ ଦେଖି ଅନ୍ୟ ମନସ୍କ ହୋଇଗଲେ ସତ୍ୟଜିତ ବାବୁ। ହାଲୁକା ବର୍ଷାରେ ଭିଜି ଗଲେ ସେମାନେ, ମନ ଖୁସିରେ କାନ୍ଥର ଗୋଟେ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡୁଥିଲେ ଦୁଇଟି ଗୁଣ୍ଡୁଚି ମୂଷା।  ସର୍ତ୍ତହୀନ ପ୍ରେମରେ ମଜା ହିଁ ଅଲଗା। ଜୀବନଟା ଥର ମରୁଭୂମି ପରି ଲମ୍ବା ଲାଗିଲେ ବି,ସତରେ ଏତେ ଲମ୍ବା ନୁହେଁ ;  ଠିକ୍ ଏଇ ପାଚେରୀର ଦୈର୍ଘ୍ୟ ପରି…. ଆରମ୍ଭ ହୋଇ ହଠାତ୍ ସରିଯାଏ। ଜୀବନକୁ ଠିକ୍ ଭାବେ ଜୀଇଁ ପାରିଲେ ହିଁ ସାର୍ଥକତା,ବାସ୍। 
ଭାବିଲେ , “ପୁତୁରା ଶଶାଙ୍କ ନାଆଁରେ ଘରଟା କରିଦେବି ନା କଲୋନୀରେ ଥିବା ଭଗବତୀ ମନ୍ଦିର ନାଆଁରେ କରିଦେବି”। କିଛି ସ୍ଥିର କରି ପାରୁ ନ ଥିଲେ ସେ। କ’ଣ କରିବେ,କାହାକୁ ଦାନ କରିବେ ଏତେ ସମ୍ପତ୍ତି ସବୁ। ଅପାତ୍ରରେ ଦାନ ହେଇ ଯିବନି ତ !!

ସହରର ଜଣେ ନାମି ବିଲଡର ଆସି ଜାଗାଟିକୁ କିଣିବା ପାଇଁ ଲୋଭନୀୟ ସର୍ତ୍ତ ରଖିଛି। ତାଙ୍କ ପାଇଁ ଫ୍ଲାଟଟିଏ ଦେବ ଓ ବାକି ସେ ବ୍ୟବହାର କରିବ। ଗୁଡାଏ ଟଙ୍କା ଦେବ। ଏତେ ପଇସା ସେ ପୁଣି କାହାକୁ ଦେବେ, ମୁଣ୍ଡ କାମ କରୁନି ତାଙ୍କର। ନିଜ ପିଲାଙ୍କୁ ଦେବାକୁ ତାଙ୍କର ତିଳେବି ଇଚ୍ଛା ନାହିଁ। କାରଣ ସେ କାହାକୁ କହନ୍ତି ନାହିଁ।

ଏମିତି ଭାବୁ ଭାବୁ ଚା କପେ ପିଇବାକୁ ରାସ୍ତାକୁ ବାହାରି ଗଲେ। ଭେଟ ହୋଇଗଲେ ରିଟାୟାର୍ଡ ତହସିଲଦାର ନଟବାବୁ….  ସତ୍ୟଜିତ ବାବୁଙ୍କର ସହପାଠୀ ଥିଲେ ସେ ବି.ଏ. ପର୍ଯ୍ୟନ୍ତ। ସତ୍ୟଜିତ କଲେକ୍ଟର ହେବା ପରେ ଅହଙ୍କାର ଭରି ହୋଇଗଲା ତାଙ୍କ ଭିତରେ। ସର୍ବ-ସମକ୍ଷରେ ତହସିଲଦାର ନଟବାବୁଙ୍କୁ ସେ ତାଙ୍କ ସାଙ୍ଗ ବୋଲି ପରିଚୟ ଦେବାକୁ କୁଣ୍ଠା କରୁଥିଲେ। ନଟବାବୁବି ଜାଣିଶୁଣି ଆଡେଇ ରହୁଥିଲେ ତାଙ୍କୁ। ଦୁହେଁ ଅବସର ପ୍ରାପ୍ତ। ତାଙ୍କ ଘରକୁ ଲାଗି ନଟବାବୁଙ୍କ ଛୋଟ ଘର। ଆଜି କାହିଁକି ସେମିତି ଅହଙ୍କାର ନାହିଁ। ନଟବାବୁ ଓ ସତ୍ୟଜିତ ବାବୁଙ୍କ ଭିତରେ ଥିବା ପାର୍ଥକ୍ୟକୁ ସେ ଆଉ ଦେଖି ପାରୁନାହାଁନ୍ତି। ଲାଗୁଛି ବୁଢ଼ା ବୟସରେ ସମସ୍ତେ  ଅସହାୟ। ସତ୍ୟଜିତ ବାବୁ ହାତ ବଢ଼େଇଲେ। ନଟବାବୁ ଖୁସିହୋଇ କର ମରଦ୍ଧନ କଲେ। ସତ୍ୟଜିତବାବୁ, ନଟବାବୁଙ୍କୁ ତାଙ୍କ ପିଲା ଛୁଆଙ୍କ ବିଷୟରେ ପଚାରିଲେ। ନଟବାବୁ କହିଲେ, ଝିଅକୁ ଏଇ ଭୁବନେଶ୍ୱର ରେ ବାହା ଦେଇଛି। ପୁଅ-ବୋହୂ କଳାହାଣ୍ଡିରେ ଅଛନ୍ତି। ଅତିକମରେ ସେଠି ଛ ବର୍ଷ ରହିବେ। ଦୁହେଁ ପୁରୁଣା ଦିନ ଭଳି ମିଶିଲେ। ସାଙ୍ଗ ହୋଇ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଦୋକାନରେ ଚା’ ପିଇବା ସ୍ଥିର କଲେ। କିଛିଦିନ ସାଙ୍ଗ ହେବା ପରେ ସତ୍ୟଜିତବାବୁ ବୁଝି ପାରିଲେ ଯେ ନଟବାବୁ ଜଣେ ଭାରି ଭଲ ଲୋକ। ନିଃସ୍ବାର୍ଥପର ଲୋକ ବି। ରିଟାୟାର୍ଡ ହେଲେ ବି ବହୁତ ଷ୍ଟ୍ରଙ୍ଗ ଅଛନ୍ତି। ତାଙ୍କ ନାଁ’ରେ ଘରଟା ଉଇଲ କରିଦେଲେ କେମିତି ହୁଅନ୍ତା।
ପୁଣି କ’ଣ ଭାବିଲେ କେଜାଣି କଣ୍ଟ୍ରାକ୍ଟରକୁ ଫୋନ କଲେ। ଘର ରିନୋଭେସନ କରିବେ।

ତା ପରଦିନଠୁ ଘର ମରାମତି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥାଏ। ଗ୍ରାନାଇଟ୍, ମାର୍ବଲ, ଟାଇଲ ଗାଡି ସବୁ ଆସି ଲାଗିଲା ତାଙ୍କ ଘର ଆଗରେ। ଶାଗୁଆନ କାଠର ଚେୟାର, ଟେବୁଲ୍,ଖଟ ଆସି ପହଞ୍ଚିଲା। ପ୍ରତି ବାରଣ୍ଡାରେ ସୋଫା ଓ ଟି’ ପୟ ରଖା ହେଲା। ପ୍ରତି ରୁମ ସହିତ ଆଟାଚ ଟଏଲେଟ, ବେସିନ, କମୋଡ,ସାୱାର,ଗିଜର ଲାଗିଲା। ଇଲେକ୍ଟ୍ରିକ ଓୟରିଂ ବଦଳିଲା। ଅଧିକ ଆଲୋକର ବ୍ୟବସ୍ଥା କରାଗଲା।
ପଡିଶା ଲୋକେ ଫୁସ୍ ଫାସ ହେଲେ, “ମଣିଷର ଲୋଭ ଦେଖ। ବୁଢ଼ାର ଦେହ ଥରିଲାଣି, ଘର ମରାମତି କରୁଛି କାହାପାଇଁ କେଜାଣି !! ଏଇ ବୟସରେ ଧର୍ମ କର୍ମ କରିବା କଥା, କି ଯୁଗ ହେଲା କେଜାଣି !!!”

ସହରରୁ ବାହାରୁଥିବା ଆଞ୍ଚଳିକ ଖବର କାଗଜରେ କିଏ ଜଣେ ବ୍ଲଗ୍ ଲେଖିଛି  ସତ୍ୟଜିତ୍ ବାବୁଙ୍କ ବାବଦରେ। ଘୋର ନିନ୍ଦା,ଅପବାଦ କଥା। ଜଣେ ଅବସର ପ୍ରାପ୍ତ ଲୋଭୀ ଆଇ.ଏ.ଏସ୍ ଅଫିସରଙ୍କ କଥା। ଅଶି ବର୍ଷ ବୟସରେ ମଧ୍ୟ ବଞ୍ଚିବାର ଲୋଭ। ସତ୍ୟଜିତ ବାବୁଙ୍କର କିନ୍ତୁ ସେମିତି କିଛି ପ୍ରତିକ୍ରିୟା ନ ଥିଲା।

ମାସେ ଭିତରେ ଘର ଆଗରେ ଗାଲିଚା ତିଆରି  ପ୍ରସ୍ତୁତ ହୋଇଗଲା। ଅଧା ଏକରରୁ ଅଧିକ ହେବ ଘାସ ଗାଲିଚାଟି। ଚାରି ପାଞ୍ଚୋଟି ରବର୍ ଗଛ ଶୋଭା ବର୍ଦ୍ଧନ କରୁଛି। ଗୋଲାପ, ରଜନୀଗନ୍ଧା, ରଙ୍ଗଣୀ, ସେବତୀ, ମଲ୍ଲି-ଫୁଲ ଗଛରେ ସୁ-ସଜ୍ଜିତ ଘର ଆଗରେ ଥିବା ଉଦ୍ୟାନଟି। ଦୁଇ ତିନୋଟି ଦୋଳି ସହିତ ନାନା ରକମର ଜିମ୍-ସରଞ୍ଜାମ ପାଚେରୀ ଧାରେ ଧାରେ।

କଲୋନୀ ଲୋକେ ଘର ଆଡେ ଅନେଇ ମୁରୁକି ହସା ଦିଅନ୍ତି। ଭାବନ୍ତି : ମଶାଣି ପାଖ ହେଇ ବି ମଣିଷ ସ୍ବପ୍ନ ଦେଖେ। ସତ୍ୟବ୍ରତ ବାବୁଙ୍କ ଅଦ୍ଭୁତ ଏଇ ପରିକଳ୍ପନା ନେଇ ଇ.ଡି/ସି.ବି.ଆଇ. ସ୍ତରରେ ହଲଚଲ ସୃଷ୍ଟି ହେଇଛି। ଅବସର ପ୍ରାପ୍ତ ଆଇ.ଏ.ଏସ୍ ଅଫିସରଙ୍କ ଘର ମରାମତି ପାଇଁ ଏତେ ପଇସା ଆସୁଛି କୋଉଠୁ ??

ସକାଳର ସୂର୍ଯ୍ୟ କିରଣ ଖେଳୁଛି ସତ୍ୟଜିତ୍ ବାବୁଙ୍କ ଅଗଣାରେ। ଘର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି। ବଡ ଫ୍ଲେକ୍ସ ବୋର୍ଡ ଲାଗିଛି ଘର ଆଗରେ। ପ୍ରତିଭା ବୃଦ୍ଧାଶ୍ରମ ।
ସମସ୍ତେ ସ୍ତବ୍ଧ। କାହା ମୁହଁରେ ଆଉ ଭାଷା ନାହିଁ। ଅତିକମରେ ଷାଠିଏ ବୃଦ୍ଧ। ତାଙ୍କ ପିଲାଛୁଆଙ୍କ ସହ ସେଠାରେ ପହଞ୍ଚିଛନ୍ତି। ତାଙ୍କ ନାତି ନାତୁଣୀ ଛୋଟ ପାର୍କରେ ଝୁଲା ଝୁଲୁଛନ୍ତି -ଜିମ ରେ ବ୍ୟାୟାମ କରୁଛନ୍ତି।

ସାମ୍ବାଦିକ ମାନେ ପଚାରିଲେ, “ଏପରି ଆଇଡ଼ିଆ ଆପଣ କେଉଁଠୁ ପାଇଲେ?”
ସତ୍ୟଜିତ ବାବୁ କହିଲେ, “ନଟବାବୁଙ୍କ ସହ ଭେଟ ହେବା ପରେ ଜାଣିଲି ଯେ ଆମେ ବୁଢ଼ା-ବୁଢ଼ୀ ମାନେ ସାଙ୍ଗ ହୋଇ ରହିବା ଆବଶ୍ୟକ। ତେଣୁ ଏଥିରେ ସମସ୍ତଙ୍କ ଶେଷ ପୁଞ୍ଜି ବିନିଯୋଗ ହୋଇଛି। ଏହା ଏକ ଟ୍ରଷ୍ଟ। ଏଥିରେ କାହାର ଏକଚାଟିଆ ଅଧିକାର ନାହିଁ। ମୋର କି ମୋ ପିଲାମାନଙ୍କର ବି ନାହିଁ। ଦେଖୁ ନାହାନ୍ତି, ଆମେ  ବୋର୍ଡରେ ପଞ୍ଜିକରଣ ନମ୍ବର ଲେଖିଛୁ।”
 
ଏଇଠି ରହିବାକୁ ଆସିଥିବା ପ୍ରାୟ ଅଧାରୁ ଅଧିକ ବୟସ୍କ ଲୋକ ନିଜ ପୁଅ-ବୋହୁଙ୍କ ସାଥିରେ ରହନ୍ତି। କିନ୍ତୁ ଏବେ ପେଟ-ପାଟଣା ପାଇଁ ପିଲାଙ୍କ କାର୍ଯ୍ୟକ୍ଷେତ୍ରକୁ ରହିବାକୁ ସେମାନେ ଯାଇ ପାରୁ ନାହାଁନ୍ତି। ତେଣୁ କିଛି ଲୋକ ଅଳ୍ପ କାଳୀନ ରହିବେ ଓ କିଛି ସେମାନଙ୍କ ଶେଷ ପର୍ଯ୍ୟନ୍ତ। 50 ଶଯ୍ୟା ପାଇଁ 60 ଜଣ ଆସିଛନ୍ତି ଓ ଆମେ ନିଜ ମଧ୍ୟରେ ଆଲୋଚନା କରି ସେମାନଙ୍କୁ ଅନୁମତି ଦେଇଛୁ। ଅଧିକ ଦଶ ଜଣଙ୍କ ପାଇଁ  ହୃଦୟରେ ଜାଗା ଅଛି ଯେତେବେଳେ,କିଛି ନା କିଛି ଉପାୟ ବାହାରି ଆସିବ।” ପାଠ ପଢିଲା ବେଳେ ହଷ୍ଟେଲରେ ତ ପୁଣି ଖଟ ଯୋଡ଼ି ଆଡ଼ଜଷ୍ଟ କରୁଥିଲୁ।

ନଟ ବାବୁ ମାଇକ୍ ଛଡେଇ ନେଇ କହିଲେ,”ପାଖକୁ ଲାଗି ଆମ ଘରଟା ଅଛି ପରା। ସେ’ଠି କିଛିଦିନ ବ୍ୟବସ୍ଥା କରି ଦେବାନି।” ସତ୍ୟବ୍ରତବାବୁ କୁଣ୍ଢେଇ ପକେଇଲେ ନଟବାବୁଙ୍କୁ । କହିଲେ, “ହାୟ!! ଯଦି ଚାଳିଶି ବର୍ଷ ତଳେ ଏଇ ଜ୍ଞାନ  ମୋର ଉଦୟ ହୋଇଥାନ୍ତା ମୁଁ ତମସହ ବୁଲାବୁଲି କରି କେତେ ମଜ଼ା କରି ନ ଥାନ୍ତି।

ସତ୍ୟଜିତ୍ ବାବୁ ଆଉ ଏକା ନୁହନ୍ତି,ସାଙ୍ଗ ଗହଣରେ ହଜେଇ ଦେଇଛନ୍ତି ସେ ନିଜକୁ।  ଆଗରେ ରାସ୍ତା ନ ଥିଲେ କଣ ହେଲା, ରାସ୍ତା ବନେଇ ବନେଇ ଯିବାକୁ ହୁଏ, ବାସ୍।

ସେ ଆଜି ଅବସରପ୍ରାପ୍ତ ଆଇ.ଏ.ଏସ୍ ଅଫିସର ନୁହନ୍ତି ; ବୃଦ୍ଧା ଶ୍ରମରେ ଜଣେ ସାଧାରଣ ସଦସ୍ୟ। ଗୋଟାଏ ବେଡ୍ ହିଁ ତାଙ୍କ ସମ୍ପତ୍ତି।

ଖଟ ପାଖରେ ଲାଗିଥିବା ପ୍ରତିଭାଙ୍କ ଫଟୋକୁ ଅନେଇ ମନେ ମନେ କହୁଥିଲେ, “ଦେଖ ପ୍ରତିଭା ! ତମେ ଥିଲେ ଆଉ ଟିକେ ଅଧିକ ଭଲ