ମୁଁ ଜାଣିପାରେନି ସକାଳ ହେଲେ ମାଆ ଉଠିବ ନା ମାଆ ଉଠିବ ବୋଲି ସକାଳ ହୁଏ । ମୁଁ ଜାଣିପାରେନି ମାଆକୁ ହିସାବପତ୍ର ଆସେ କି ନାହିଁ, କାରଣ ମୁଁ ଖାଇବାକୁ ଦୁଇଟି ରୁଟି ମାଗିଲେ ସେ ତିନୋଟି ଦିଏ । ମୋ ମାଆ ମିଛ କୁହେ । ଖାଇବାକୁ ଭାତ ବାଢିଲା ବେଳେ ସବୁବେଳେ କୁହେ- ଅଳ୍ପ ଭାତ ଦେଇଛି, ପଛରେ ମାଗିବୁ । ଯେତିକି ଭାତ ଦେଇଥାଏ ସେତିକି ମୁଁ ଖାଇପାରେନି ।
ଯେତେ ମୋଟା ଦେଖାଗଲେ ବି ମାଆ କୁହେ ,ମୋ ଛୁଆଟାର ଦେହରେ ଜମା ଲାଗୁନାହିଁ । ମାଆ କେବେ ତା’ର ପିଲାଙ୍କୁ ପଚାରେନି କ’ଣ ଖାଇବୁ । ସେ ଯାହା ଖାଇବାକୁ ଦିଏ ତାହା ଥାଏ ପିଲାଙ୍କର ପ୍ରିୟ ଖାଦ୍ୟ । ମାଆର ହାତରେ ଥାଏ ଅମୃତ ସ୍ପର୍ଶ । ଲୁଗାକାନିର ଗଣ୍ଠି ଖୋଲି ଯେତେବେଳେ ସେ ଖୁଚୁରା ପଇସା ପିଲାଙ୍କୁ ଦିଏ, ତାହା ଭରିଦିଏ ପିଲାଙ୍କ ମନରେ କୋଟିଏ ଟଙ୍କାର ଅଫୁରନ୍ତ ଖୁସି । ସେ ଡାକ୍ତରୀ ପାଠ ପଢିନି, ହେଲେ ପିଲାର ସବୁ ଶାରୀରିକ ଓ ମାନସିକ କ୍ଳେଶର ସମାଧାନ ଜାଣିଥାଏ । ମାଆ ଦୁନିଆର ଏପରି ଏକ ଶବ୍ଦ ଯାହାର ବ୍ୟାଖ୍ୟାର ଆବଶ୍ୟକତା ପଡେ ନାହିଁ । କାରଣ ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଅନାବିଳ ପ୍ରେମ, ଅସୀମ ତ୍ୟାଗ ଓ ଅନନ୍ତ ସେବାର ଜୀବନ୍ତ ମୂର୍ତ୍ତିଟିଏ । ଜୀବନର ପ୍ରଥମ ସୃଷ୍ଟି ମାଆ, ପ୍ରଥମ ସ୍ପର୍ଶ ମାଆ, ପ୍ରଥମ ତୃଷ୍ଣା ମାଆ,ପ୍ରଥମ ଉଚ୍ଚାରଣ ମାଆ ଓ ପ୍ରଥମ ପ୍ରେମ ବି ମାଆ ।
ଥରେ ମନେପକାନ୍ତୁ ତ ମାଆର କଥା । ଅଫୁରନ୍ତ ଶାନ୍ତି ଓ ଆନନ୍ଦର ଲହଡି ସୃଷ୍ଟି ହେଉନାହିଁ ମନରେ ?
ଜଣକୁ ଅନ୍ୟମନସ୍କ କରିବା ପାଇଁ ମାଆ ଉଚ୍ଚାରଣ କ’ଣ ଯଥେଷ୍ଟ ନୁହେଁ ? ପିଲାବେଳେ କେତେ ଶାନ୍ତି ଓ ନିରାପଦର ସ୍ଥାନ ଥିଲା ମାଆର କୋଳ । ମାଆ ପାଖରେ ଥିଲେ ଦୁନିଆକୁ ଡର ନ ଥାଏ । ଏ ସଂସାରକୁ ଆସିବା ପରେ ପ୍ରଥମେ ଯାହାର ବକ୍ଷରୁ ଅମୃତ ପିଇ ଏ ଶରୀର ଚଳତକ୍ଷମ ହେଲା, ଏ ଆଖି ପ୍ରଥମେ ଯାହାକୁ ଦେଖିଲା, ଖନେଇ ଖନେଇ ଯାହାର ନାମ ଏ ପାଟିରୁ ପ୍ରଥମେ ବାହାରିଲା, ସେ ହିଁ ଆମର ମାଆ । ଛୋଟବେଳେ ଯେତେ ଅବୁଝା ହେଲେ ଓ ଋଷିଲେ ଯିଏ କୋଳେଇ କାଖେଇ, ସୁନାରେ ଧନରେ କହି, ଜହ୍ନ ମାମୁ ଦେଖାଇ, ବାଘମାମୁକୁ ଡାକି ବଳେଇ ବଳେଇ ଖୁଆଇଥାଏ ସେ ଆମର ମାଆ । ବାର ଓଷା ତେର ବ୍ରତ କରି ଠାକୁର ମନାସି ଯିଏ ଆମର ସର୍ବଦା ସୁଖ, ସମୃଦ୍ଧି କାମନା କରିଥାଏ ସେ ହିଁ ଆମର ମାଆ । ଦୁଃଖରେ, କଷ୍ଟରେ ଓ ବିପଦରେ ପ୍ରଥମେ ଯେଉଁ ଶବ୍ଦ ପାଟିରୁ ବାହାରି ଆସେ, ସେ ହିଁ ମାଆ । ସନ୍ତାନ କିଛି ନ କହିଲେ ବି ଯିଏ ସବୁକଥା ଜାଣିପାରେ ସେ ହେଉଛି ମାଆ ।
ମାଆର ଅନେକ ପ୍ରତିଶବ୍ଦ । ହେଲେ ପ୍ରତି ପ୍ରତିଶବ୍ଦରେ ମାଆର ମୌଳିକତା ଅପରିବର୍ତ୍ତିତ। ସେ ମା’ ହୋଇପାରେ, ସେ ମାମା ହୋଇପାରେ, ସେ ବୋଉ ହୋଇପାରେ ଓ ସେ ମମି ବି ହୋଇପାରେ । ହେଲେ ପ୍ରତିଟିରେ ତା’ର ମାଆ ରୁହେ ଅକ୍ଷୁଣ୍ଣ ।
ଶାସ୍ତ୍ରରେ ଅଛି- ପିତୁଃ ଦଶଶତଃ ମାତା ଅର୍ଥାତ୍ ପିତାଙ୍କଠାରୁ ମାଆ ହଜାରେ ଗୁଣ ବଡ । ଏହା କହି ମହର୍ଷି ମନୁ, ମାଆକୁ ବାପାଙ୍କଠାରୁ ଅଧିକ ସମ୍ମାନିତ କରିଛନ୍ତି। ମାନ୍ୟତେ ପୂଜ୍ୟତେ ଯା ସା ମାଆ ଅର୍ଥାତ୍ ଯିଏ ମାନ୍ୟତା ଓ ପୂଜାର ସର୍ବଶ୍ରେଷ୍ଠ ଅଧିକାରିଣୀ, ସେ ହିଁ ମାଆ । ଗର୍ଭ ବେଦନା, ପ୍ରସବ ବେଦନା ଓ ପ୍ରସବ ପରେ ସନ୍ତାନ ଲାଳନପାଳନର ଉପକାର ପାଇଁ ସନ୍ତାନମାନେ ମାଆ ମାନଙ୍କଠାରେ ସର୍ବକାଳ ଋଣୀ ହୋଇଯାଇଥାନ୍ତି । ଋଷି ଋଣ,ପିତୃ ଋଣ,ବନ୍ଧୁ ଋଣ, ସମାଜ ଋଣ ଓ ଗୁରୁ ଋଣ ପରିଶୋଧ ସମ୍ଭବ, ମାତ୍ର ମାତୃ ଋଣ ନୁହେଁ । ଶାସ୍ତ୍ର କୁହେ, ମାତା-ପିତାଙ୍କୁ ଏକତ୍ର ଭେଟିଲେ ପ୍ରଥମେ ମା’କୁ ପ୍ରଣାମ କରିବା ଉଚିତ । କାରଣ ପିତାଙ୍କଠାରୁ ମାତା ଶ୍ରେଷ୍ଠ । ପିତା ପୋଷଣ କରନ୍ତି, ମାତା ପୋଷଣ ସହ ଗର୍ଭଧାରଣ କରି ସନ୍ତାନକୁ ଜନ୍ମ ଦିଅନ୍ତି । ସେଥିପାଇଁ ଉପନିଷଦରେ କୁହାଯାଇଛି ମାତୃ ଦେବୋ ଭବଃ । ମନୁଷ୍ୟର ସର୍ବଶ୍ରେଷ୍ଠ ତପସ୍ୟା ହେଉଛି ମାତୃ ସେବା । ବ୍ରହ୍ମାଙ୍କୁ ସୃଷ୍ଟି କର୍ତ୍ତା କୁହାଯାଏ । ବ୍ରହ୍ମାଙ୍କୁ କେହି ଦେଖିନାହାନ୍ତି କି ସେ ବ୍ରହ୍ମାଣ୍ଡ ସୃଷ୍ଟି କରିବାର ପ୍ରମାଣ ମଧ୍ୟ ନାହିଁ । କିନ୍ତୁ ମାଆ ଗର୍ଭରୁ ଆମେ ସୃଷ୍ଟି ହୋଇଥିବାର ପ୍ରମାଣ ଅଛି । ବିଷ୍ଣୁ ଏ ସଂସାରକୁ ପାଳନ କରୁଛନ୍ତି ବୋଲି କୁହାଯାଏ ଯାହାର ବି ପ୍ରମାଣ ନାହିଁ। କିନ୍ତୁ ମାଆ ଆମକୁ ପାଳିପୋଷି ଛୋଟରୁ ବଡ କରିଛି । ମହାଦେବ ମହେଶ୍ବର ସବୁ ସଙ୍କଟରୁ ଉଦ୍ଧାର କରି ଆମର କଲ୍ୟାଣ କରନ୍ତି ବୋଲି ଆମେ ବିଶ୍ବାସ କରିଥାଉ ହେଲେ ମାଆ ଆମର ସବୁ ଦୁଃଖ କଷ୍ଟକୁ ଦୂରେଇ ଦେବା ପାଇଁ ଅହରହ ଲାଗିରହିଥାଏ । ତେଣୁ ମାଆ ଆମ ପାଇଁ ସାକ୍ଷାତ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର । ସେଥିପାଇଁ କୁହାଯାଏ ଈଶ୍ବର ସବୁ ସମୟରେ ସମସ୍ତଙ୍କ ପାଖରେ ପହଞ୍ଚିପାରନ୍ତି ନାହିଁ ବୋଲି ସେ ମାଆ ସୃଷ୍ଟି କରିଛନ୍ତି ।
ମାଆର ଆଶୀର୍ବାଦ କୌଣସି ମହାନ୍ ସନ୍ଥଙ୍କ ଆଶୀର୍ବାଦଠାରୁ କମ୍ ନୁହେଁ। କୌଣସି ପ୍ରତିଦାନର ଆଶା ନ ରଖି ଯିଏ ଅବିରତ ଆଶୀର୍ବାଦର ବର୍ଷା ଢାଳିଥାଏ, ସେ ହିଁ ମାଆ । ଜଣେ ଲେଖକଙ୍କୁ କୁହାଗଲା ମାଆ ସମ୍ପର୍କରେ କିଛି ଲେଖିବାକୁ । ଲେଖକ ଭାବପୂର୍ଣ୍ଣ କଣ୍ଠରେ କହିଲେ ସେ ମାଆ ସମ୍ପର୍କରେ କ’ଣ ଲେଖିବେ, ମାଆ ତ ନିଜେ ତାଙ୍କୁ ଲେଖିଛି । ମାଆଠାରୁ ଛୋଟ ଶବ୍ଦ ଯଦି କିଛି ଥାଏ କୁହନ୍ତୁ ଓ ଯଦି କିଛି ବଡ ଶବ୍ଦ ଥାଏ ତାହା ବି କୁହନ୍ତୁ। ଏହାର ଉତ୍ତର ନିଶ୍ଚିତ ନା । ମରିବା ପାଇଁ ତ ଅନେକ ରାସ୍ତା ଅଛି, ହେଲେ ଜନ୍ମ ନେବା ପାଇଁ କେବଳ ମାଆ ଅଛି। ଏ ସଂସାରରେ ସେହିମାନେ ହିଁ ଭାଗ୍ୟବାନ୍ ଯେଉଁମାନେ ମାଆ ଓ ବାପା ପାଖରେ ରୁହନ୍ତି ଓ ସେମାନଙ୍କ ସାନ୍ନିଧ୍ୟ ଲାଭ କରନ୍ତି । ମାଆଠାରୁ କୌଣସି ଧନ, ସମ୍ପଦ, ସମ୍ମାନ ଓ ପଦ ପଦବୀ ବଡ ନୁହେଁ । ଥରୁଟିଏ ନିଜକୁ ଛୋଟ ପିଲା ବୋଲି ଭାବି ନିଅନ୍ତୁ, ଦେଖିବେ ଆପଣଙ୍କ ମାଆ ପୂର୍ବର ସେହି ମାଆ ହୋଇ ଆଜି ବି ରହିଛି । କିଛି ବଦଳି ନାହିଁ ।
“ଜୟ ମାଆ ଭବାନୀ”।