କିଛି ଛାଡିଗଲ କି ପଛରେ

କିଛି ଛାଡିଗଲ କି ପଛରେ

           ସ୍ତ୍ରୀ 

ଆୟା ପାଖେ ଛାଡ଼ି କଅଁଳା ଶିଶୁକୁ
ଅଫିସକୁ ଯେବେ ବାହାରେ,
ପଚାରଇ ‘ଆୟା’ ସବୁ ନେଇଛ ତ
ଛାଡିନାହଁ କିଛି ପଛରେ ?

ଯାହା ପାଇଁ ଖଟି ରୋଜଗାର କରେ
ତାକୁ ତ ଛାଡିଲି ପଛରେ,
ଚାବି,ପର୍ସ ଆଉ ମୋବାଇଲ-ଫୋନ
ଏ ସବୁକୁ କିଏ ପଚାରେ।

            ଝିଅ 

ଝିଅ ବାହାଘର ସାରି କନ୍ୟା-ପିତା
ମଣ୍ଡପ ଛାଡିବା ବେଳରେ,
ଭଉଣୀ ପଚାରେ ଦେଖିନିଅ ଭାଇ
ଛାଡିଲ କି କିଛି ପଛରେ ?

ବାପା ଭାବୁଥାଏ ଝିଅ ଚାଲିଗଲା
ବନ୍ଧନ ରହିଲା ପଛରେ,
ବାକି ଯଦି କିଛି ଜିନିଷ ରହିଲା
ମୂଲ୍ୟହୀନ ‘ଝିଅ’ ଆଗରେ

        ଚାକିରୀ 

ଅବସର ଦିନ ସମ୍ବର୍ଦ୍ଧନା ପରେ
ପିଅନଟା ଆସି ପଚାରେ,
ଟେବୁଲ ଡ୍ରୟର ଦେଖିନ୍ତୁ ସାର୍
ରହିଲା କି କିଛି ପଛରେ ?

ସାର୍ ଭାବୁଥାନ୍ତି ଛତିଶ-ବରଷ
ସ୍ମୃତି ରହିଗଲା ପଛରେ,
ଡାଇରୀ କଲମ ଚଷମାର-ଖୋଳ
ଏ ସବୁକୁ କିଏ ପଚାରେ ??

            ପୁଅ 

ପୁଅ ପାଠ ପଢି ଚାକିରୀ କରିଲା
ରହିଗଲା ଆମେରିକାରେ,
ବିଦେଶିନୀ ଝିଅ ବାହା ହୋଇଗଲା
ପଡି ପରିସ୍ଥିତି ଚାପରେ।

ନାତି ଦେଖିବାକୁ ଆମେରିକା ଗଲେ
ପତି-ପତ୍ନୀ ଦୁହେଁ ପ୍ଲେନରେ,
ପୁଅ ପଚାରୁଛି ଫେରିବା ବେଳକୁ
କିଛି ଛାଡିଲ କି ପଛରେ ??

ସାରା ଜୀବନର ଅର୍ଜିଥିବା ଧନ
“ପୁଅ” ରହିଗଲା ପଛରେ,
ସାର୍ଟ,ପେଣ୍ଟ ଆଉ ଧୋତି ଓ ଗାମୁଛା
ଏ ସବୁକୁ କିଏ ପଚାରେ ??

           ବାପା 

ବାପାଙ୍କର ଶବ ଦାହ କରିସାରି
ଘରକୁ ଫେରିବା ବେଳରେ,
ଲେଉଟି ଆସଇ ଯୁଇର ପାଖରୁ
ପୁଅ ଲୁହ ନେଇ ଆଖିରେ।

ପଚାରଇ ସାଙ୍ଗ ଛାଡିଲୁ କି କିଛି
କିଛି ରହିଗଲା ପଛରେ ??
ସବୁ ଚାଲିଗଲା ବାପାଙ୍କ ସାଥିରେ
‘କଥା’ ରହିଗଲା ‘ସ୍ମୃତି’ରେ।

             ଜୀବନ 

ଡାକରା ଆସିଲେ ଯିବାକୁ ପଡିବ
କିଛି ନେବା ନାହିଁ ସାଙ୍ଗରେ,
ମମତାର ଡୋର ଛିଡିଯିବ ଦିନେ
ସବୁ ରହିଯିବ ପଛରେ।

ଏବେ ବି ସମୟ ରହିଛି ହାତରେ
ବାନ୍ଧ ସ୍ନେହ-ପ୍ରେମ ରଜ୍ଜୁରେ,
କିଏ ଜାଣେ କେବେ ଯିବାକୁ ପଡିବ
ସବୁ ଛାଡିଦେଇ ପଛରେ