ଅସହାୟ ବାର୍ଦ୍ଧକ୍ୟ ଜୀବନ

ଅସହାୟ ବାର୍ଦ୍ଧକ୍ୟ ଜୀବନ

ବଞ୍ଚି ରହିବାକୁ ଇଛା ହେଉ ନାହିଁଁ,
ମରିବାକୁ ଲାଗେ ଡର,
ଜାଣି ପାରୁନାହିଁ କାହିଁକି କେଜାଣି,
ନିଛାଟିଆ ଲାଗେ ଘର. ।।
ନୂଆ ପିନ୍ଧିବାକୁ ମନ ବଳୁ ନାହିଁ,
ବୁଲିବାକୁ ନାହିଁ ବଳ,
ଖାଇବାକୁ ଏବେ ବାରଣ ରହିଛି,
ଲାଗୁଛି ବଡ଼ ଦୁର୍ବଳ ।।
ରାସ୍ତାକୁ ଯିବାକୁ ଲାଗୁଅଛି ଡର,
ଗାଡି ଖାଲି ମାଳ ମାଳ,
କଳେ କିଏ ଆସି ଧକ୍କା ମାରି ଦେବ,
ଘରେ ରହିବାଟା ଭଲ ।।
ବନ୍ଧୁ ବାନ୍ଧବ ମୋ ଅଛନ୍ତି ବହୁତ,
ମିଳେନି କାହାର ଦେଖା,
ବୁଲୁ ଅଛି ଘର ଭିତରେ ଏକା ମୁଁ,
ଆଣ୍ଠୁ ଗଣ୍ଠି ଭାରି ବଥା ।।
ଘରକୁ ଆସିଲେ କହୁଛନ୍ତି ଲୋକେ,
ଚିହ୍ନି ପାରୁଛ କି ମୋତେ ?
କିଏ ବୋଲି ଯେତେ ମନେ ପକେଇଲେ,
ମନେ ପଡୁନାହିଁ ମୋଟେ ।।
ପାଶୋରି ଯାଉଛି ସବୁ କଥା ଏବେ,
ମନେ ରହୁନାହିଁ କିଛି,
ବିନା ଚଷମା ରେ ଦେଖି ପାରୁନାହିଁ,
ନିଠେଇ କରି ଚାହୁଁଛି ।।
ବସିବା ଯାଗାରୁ ଉଠି ପାରୁନାହିଁ,
କେହି ଶୁଣନ୍ତିନି ଡ଼ାକ,
ଖାଇ ପାରୁନାହିଁ ତଥାପି କେଜାଣି,
ଲାଗୁଛି ବହୁତ ଭୋକ ।।
ସବୁ ଠାରୁ ବଡ଼ ସମସ୍ୟା ହେଲାଣି,
ରାତିରେ ଆସୁନି ନିଦ,
କଡ଼ ଲେଉଟାରେ ରାତି ମୋ ବିତୁଛି,
ଯୋଡେ କବିତାର ପଦ ।।
ଆଗ ପରି ଦେହ ଭଲ ରହୁ ନାହିଁ,
ବରଷ ସାରା ମୁଁ ରୋଗୀ,
କାହା ପାଖେ ଏବେ ସମୟ ଅଛି ଯେ,
ବସି ଥିବ ମୋତେ ଜଗି ।।
ପୁଅ ଝିଅ ସବୁ ଯିଏ ଯାହା ବାଟେ,
ରହି ଗଲେ ଦୂର ଦେଶେ,
ଯାହାଙ୍କ ପାଇଁ ମୋ ଜୀବନଟା ବାଜି,
କେହି ନ ଆସନ୍ତି ପାଶେ ।।
କିଏ ଜାଣେ ଆଉ କେତେ ଦିନ ଯାଏଁ,
ପଡ଼ିଥିବି ପଲଙ୍କରେ,
କହି ପାରିବିନି ଛାତି କି ଫୁଲେଇ,
ପୁଅ ଅଛି ବିଦେଶରେ ।।
ହାତ ମୋ ଥରୁଛି ଚାହା କପ୍ ଖାଲି,
ଭାଙ୍ଗୁଛି ଥରକୁ ଥର,
ବଞ୍ଚିବାକୁ ଆଉ ଭଲ ଲାଗୁନାହିଁ,
ମରିବାକୁ ଲାଗେ ଡର ।।