ବାପାଂକୁ ଏକାକୀ ପାଇ ପଚାରିଲା
ଏକଦା ପାଠୁଆ ପୁଅ
ତୁମ ଜୀବନର ଖୁସି ଆଉ ସ୍ୱପ୍ନ
କଣ ଦୟାକରି କୁହ ।
ପୁଅ ମୋର ବଡ ଚାକିରୀ କରିବ
ରହିବ ଖୁସି ଆନନ୍ଦରେ
ଭଲ କାମ କରି ନାମ କମାଇବ
ଏଇ ସ୍ୱପ୍ନ ମୋର ପୁଅରେ ।
ସଂଜ ସକାଳରେ ତୋ ପାଇଁ ନିତି
ଠାକୁରଂକୁ ଡାକୁଅଛି
ଦେହ ମୁଣ୍ଡ ତୋର ରଖନ୍ତୁ ଆରୋଗ୍ୟ
ୟା ବ୍ୟତିତ ନାହିଁ କିଛି ।
ବାପା କଳ୍ପନାର ମହାଦ୍ରୁମ ଟିଏ
ସପନ ଭରା ଆଖିରେ
ଝଡ ବତାସରେ ନଇଁ ଯାଏ ସିନା
ଦୃଢ ନିଜ ସଂକଳ୍ପରେ ।
କେହି ବୁଝେ ନାହିଁ ହୃଦୟ ତାଂକର
ଭୟର ଅଟନ୍ତି ଯିଏ ପ୍ରତୀକ
ସିଏ ବି ମଣିଷ ସେନେହ ପ୍ରେମର
ଦୃଷ୍ଟି ଉହାଡରେ ଅନ୍ୟମାନଂକ ।
ନିଜର ଇଛାକୁ କବର ଦିଅନ୍ତି
ପିଲାଂକର ଖୁସି ପାଇଁ
ନିଜ ପେଟ ପାଟି ସଂଜମିତ କରି
ଉପାର୍ଜନେ ଲାଗିଥାଇ ।
ପକେଟରେ ଟଂକା ଥାଇବି ବଜାରେ
ନିଜ ପାଇଁ କିଛି ଜିନିଷ
ପାରେନା ଯେ କିଣି ସେ ଗରିବ ବାପା
ଭାବନାହିଁ ତାକୁ କଂଜୁଷ ।
ହଜାରେ ଚିନ୍ତାରେ ଥାଇବି କୁହନ୍ତି
ମୁଁ ସବୁଠୁ ଖୁସି ନଣିଷ
ଚିନ୍ତା ଫିନ୍ତା ମୋର କିଛି ହେଲେ ନାହିଁ
ଜାଣେନା ଇଏ କି ଜିନିଷ ।
ସତ କହିବାକୁ ଉପଦେଶ ଦେଇ
ବାପା ନିଜେ ମିଛ କୁହନ୍ତି
ମିଛ କହିବାରେ କି ଆନନ୍ଦ ପାନ୍ତି
ବାପା ଯାହା ଏକା ଜାଣନ୍ତି ।